ଆବାସ ଯୋଜନା ଗୃହ ପ୍ରଦାନ ନିମନ୍ତେ ନୂତନ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ l


ଆ.କ,ରାୟଗଡ଼ା,୨୪/୦୧/୨୫: ଜିଲ୍ଲାରେ ଗୃହହୀନ ଓ କଚ୍ଚା ଘରେ ରହୁଥିବା ସମସ୍ତ ପରିବାରଙ୍କୁ ପକ୍କା ଘର ପ୍ରଦାନ ନିମନ୍ତେ  ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲା ପରିଷଦ , ରାୟଗଡର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ  ଶୁକ୍ରବାର ସକାଳେ ସ୍ଥାନୀୟ ରାୟଗଡ଼ ସଦର  ପଞ୍ଚାୟତ ସମିତି ପରିସରରୁ ଶୁଭାରମ୍ଭ କରିଥିଲେ ।  ଶୁଭାରମ୍ଭ ସମୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ, ବ୍ଲକ ପ୍ରକଳ୍ପ ସଂଯୋଜକ  ମୋହନ ମୂରଲୀ ହାତୀ, ବ୍ଲକ ଆବାସ ଯୋଜନା ସହାୟକ ନୀଳମଣି ପଣ୍ଡା ଓ ଅନ୍ୟାନ୍ୟ ବ୍ଲକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଜାନୁୟାରୀ ୨୪ ତାରିଖରୁ ପ୍ରାରମ୍ଭ ହୋଇଥିବା ଏହି ସର୍ଭେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସର୍ଭେ ନିମନ୍ତେ ପ୍ରତି ବ୍ଲକର କ୍ଷେତ୍ର କର୍ମଚାରୀଙ୍କୁ  ନିୟୋଜିତ କରାଯାଇଛି , ଗ୍ରାମ ପଞ୍ଚାୟତ ସ୍ତରରେ ବ୍ୟାନର ପ୍ରଦର୍ଶନ ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗ୍ରାମ୍ୟ ସ୍ତରରେ ବହୁଳ ପ୍ରଚାର ଓ ପ୍ରସାର କରାଯାଉଅଛି । ରାୟଗଡା ବ୍ଲକ ରେ ୨୭୩ ଗୋଟି ରାଜସ୍ବ ଗ୍ରାମରେ ସର୍ଭେ ନିମନ୍ତେ ୫୭ ଜଣ  କ୍ଷେତ୍ର କର୍ମଚାରୀ ନିଯୋଜିତ ଥିବା ଏବିଡିଓ  କାଳୁ ଚରଣ ନାୟକ ପ୍ରକାଶ କରିଛନ୍ତି । 

ଚଳିତ ସର୍ଭେରେ ଆଶାୟୀ ପରିବାର  ନିଜେ ମଧ୍ୟ ନିଜର ସର୍ଭେ କରିପାରିବା ଏହି ସର୍ଭେର ପ୍ରମୁଖ ବିଶେଷତ୍ଵ  । ପରିବାରର ମହିଳା ମୁଖ୍ୟ ହିଁ କେବଳ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ହିତାଧିକାରୀ ଭାବେ ପରିଗଣିତ ହେବେ । ଆୱାସ ଆପ ଜରିଆରେ ସର୍ଭେ ଅନୁଷ୍ଠିତ ହେବ ।  ହିତାଧିକାରୀ ଭୂମିହୀନ  ହୋଇଥିଲେ ଏହାର ତଥ୍ୟ ମଧ୍ୟ ଆପରେ ଉଲ୍ଲେଖ କରାଯିବ । ସର୍ଭେରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ତାଲିକା ଗ୍ରାମୱାରୀ  ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଦର୍ଶନ କରାଯିବ ଫଳରେ  ଯୋଗ୍ୟ ହିତାଧିକାରୀ ସୁଯୋଗ ପାଇପାରିବେ । 

ହିତାଧିକାରୀ ଚୟନ ପଦ୍ଧତିକୁ କୋହଳ କରାଯାଇ ଦୁଇ ଚକିଆ ଯାନ , ଫ୍ରିଜ ଅବା ଲ୍ୟାଣ୍ଡ ଲାଇନ ଫୋନ  ଥିବା ପରିବାର ଅଯୋଗ୍ୟ  ବିବେଚନା ହେବେନାହିଁ ଏବଂ ପରିବାର ମାସିକ ଆୟ  ଦଶ ହଜାର ଟଙ୍କାରୁ ପନ୍ଦର ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପରିବର୍ତ୍ତିତ ଯୋଗ୍ୟତା ମାନଦଣ୍ଡ ଆଧାରରେ ବଳକା ଥିବା ସମସ୍ତ ଯୋଗ୍ୟ ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ ଏହି ଯୋଜନାରେ ଗୃହ ମଞ୍ଜୁର ଲକ୍ଷ୍ୟରେ ସରକାର ନୂତନ ସର୍ଭେ  ଆରମ୍ଭ କରୁଥିବା ମୁଖ୍ୟ ବିକାଶ ଅଧିକାରୀ ଶ୍ରୀ ଖେମୁଣ୍ଡୁ କହିଛନ୍ତି ।

ରିପୋର୍ଟର:ପ୍ରଫୁଲ୍ଲ କୁମାର ବେହେରା

 

Post a Comment

0 Comments