ମଣ୍ଡି ରୁ ଧାନ ଉଠାଇବାରେ ଅବହେଳା କାରଣରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୧ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ l


ଆ.କ, ବ୍ରହ୍ମପୁର,୨୩/୦୧/୨୫:ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା  ପ୍ରଦର୍ଶନ କରିଥିବା କାରଣରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୧ ଜଣ ମିଲରଙ୍କୁ  ୬ ଘଣ୍ଟା ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକର ୪ ଜଣ, ଗଞ୍ଜାମ ବ୍ଳକର ୪ ଜଣ ଓ ପୁରୁଷୋତ୍ତମ ବ୍ଳକର ୩ ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।  ଚଳିତ ମାସ ଜାନୁଆରୀ ୨୦ ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଯୋଗାଣ ବିଭାଗ ଓ ସମବାୟ ବିଭାଗର  ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକରେ ଚଳିତ ଖରିଫ୍ ବର୍ଷ ୨୦୨୪-୨୫ ଧାନ କ୍ରୟ ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ସମୀକ୍ଷା ବୈଠକରେ ୧୧ ଜଣ ମିଲର ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା କରୁଥିବାର  ତଥ୍ୟ ଜିଲ୍ଲା ପ୍ରଶାସନ ଜାଣିବାକୁ ପାଇଥିଲେ । ଏହାକୁ ଆଧାର କରି ଆଜି ଜିଲ୍ଲା ପ୍ରଶାସନ ତରଫରୁ ସେହି ୧୧ ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ଅବିଳମ୍ବେ ମଣ୍ଡି ରୁ ଧାନ ଉଠାଇବାକୁ ତାଗିଦ୍ କରାଯାଇଅଛି। ଏହାର ଖିଲାପ କଲେ ଜିଲ୍ଲା ପ୍ରଶାସନ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇ ଦିଆଯାଇଅଛି। ସୂଚନା ଯୋଗ୍ୟ ଯେ ଚଳିତମାସ ୩ ତାରିଖ ରୁ ଗଞ୍ଜାମ ଜିଲ୍ଲାରେ ମଣ୍ଡି ଉଦଘାଟନ କରାଯିବା ସହ ଚାଷୀ ଙ୍କ ଠାରୁ ଧାନ କ୍ରୟ ଆରମ୍ଭ କରାଯାଇଥିଲା। କିନ୍ତୁ ଗତ ଅଦିନିଆ ବର୍ଷା ଯୋଗୁଁ ଅଧିକାଂଶ ଚାଷୀଙ୍କ ଅମଳକ୍ଷମ ଧାନ ଓଦା ହଜିଯାଇଥିଲା। ଯାହାଫଳରେ ମିଲର ମାନେ ଧାନ ନେବାକୁ ଅମଙ୍ଗ ରହିଥିବା ଜଣା ପଡ଼ିଛି। ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ପରେ ପ୍ରଶାସନ ସେମାନଙ୍କ ଉପରେ କଣ କାର୍ଯାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଆଲୋଚନା ହେଉଛି l

ରିପୋର୍ଟର: ରାଜୀବ ଲୋଚନ ମିଶ୍ର 




 

Post a Comment

0 Comments